Skip to main content

ସ୍ୱଚ୍ଛ ସମାଜ ଗଠନ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଆଉ ଏକ ପ୍ରୟାସ

ବାଲେଶ୍ୱର (୧୯/୧୧): ବର୍ଷ ୨୦୨୦ରେ ବିଶ୍ୱବାସୀଙ୍କ ପାଇଁ ଆସିଥିଲା କରୋନା ମହାସଂକଟ । ମହାମାରୀ କରୋନାର ସଂକ୍ରମଣ ହିଁ ଆଣିଦେଲା ମଣିଷର ଜୀବନ ପ୍ରତି ଭୟ । ଏହି ଭୟଙ୍କର ମହାମାରୀ ସମୟରେ ଅନେକ ବି ହରାଇଛନ୍ତି ମୂଲ୍ୟବାନ ଜୀବନ । ଏହି ମହାମାରୀ କବଳରୁ ମଣିଷ ଜୀବନକୁ ବଞ୍ଚାଇ ମାନବ ସମାଜକୁ ସୁରକ୍ଷିତ ରଖୁବା ପାଇଁ ଆରମ୍ଭ ହୋଇଗଲା କରୋନା ବିରୁଦ୍ଧରେ ଲଢ଼େଇ । ଶ୍ରଦ୍ଧା ଓ ସମ୍ବେଦନଶୀଳ ହୃଦୟ ନେଇ ଅନେକ ମଣିଷ ଆଗେଇ ଆସି ସେବା ପ୍ରଦାନ କଲେ । ନିଜ ଜୀବନକୁ ବାଜି ଲଗାଇ ଅକ୍ଲାନ୍ତ ଶ୍ରମ ଓ ତ୍ୟାଗ କରି ସମର୍ପିତ ଭାବନା ସହ କରୋନା ବିରୁଦ୍ଧରେ ଲଢ଼େଇ କଲେ । ଏହି ସମୟରେ ରକ୍ତର ଆବଶ୍ୟକତାକୁ ପୁରଣ କରିବା ପ୍ରସାଶନ ପାଇଁ ହୋଇଗଲା ଏକ ବିରାଟ ସମସ୍ୟା ମାତ୍ର ରକ୍ତ ତିଆରି ହୋଇପାରିବ ନାହିଁ, ଏହା କେବଳ ସ୍ୱେଚ୍ଛାସେବୀ ରକ୍ତଦାତା ମାନଙ୍କ ଠାରୁ ଆସିଥାଏ । ସେହି ରକ୍ତ ଦାତା ମାନଙ୍କ ସମର୍ପିତ ସେବା ଭାବନା ହିଁ ସୁରକ୍ଷିତ କଲା ଅନେକ ଜୀବନ ।

ଅନ୍ୟର ଜୀବନକୁ ବଞ୍ଚାଇବା ପାଇଁ ଅକୁଣ୍ଠିତ ସେବା ଦାନ, ମାନବୀୟ ପ୍ରେମ ଓ ଉତ୍ସର୍ଗୀକୃତ ଶ୍ରମ ପାଇଁ ରକ୍ତ ଦାତା ମାନଙ୍କ ଠାରେ ମଣିଷ ସମାଜ ସର୍ବଦା କୃତଜ୍ଞ ରହିବ । ବଞ୍ଚିବାର ଆନନ୍ଦ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ହିଁ ସର୍ବତ୍ତୋମ ସେବା । ବ୍ୟକ୍ତିଗତ ଜୀବନକୁ ପଛରେ ପକାଇ ଯେଉଁ ମାନେ ହୋଇଛନ୍ତି ସାମାଜିକ ଜୀବନର ବଳିଷ୍ଠ ଆଶା-ବିଶ୍ୱାସ ଓ ଭରସା । ଆଚ୍ଛା ସଙ୍ଗଠନ ଦୃଷ୍ଟିରେ ସେମାନେ ଜଣେ ପ୍ରକୃତ ସେବକ ଓ ଯୋଦ୍ଧା । ଆଜିର ପବିତ୍ର ଦିବସ ପାଳନ ଅବସରରେ ସେମାନଙ୍କ ହୃଦୟରେ ଥିବା ସମର୍ପିତ ସେବା ଭାବନା ଓ କର୍ମକୁ ସ୍ୱୀକାର କରି ସମ୍ମାନର ସହ ଆଚ୍ଛା ସଙ୍ଗଠନ ସେମାନଙ୍କୁ “ଯୋଦ୍ଧା” ଭାବେ ସମ୍ମାନିତ କରିଅଛି । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅଧିନସ୍ଥ ରଣସାହି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଆଜି ସ୍ୱର୍ଗତ ସୁଦର୍ଶନ ନାୟକଙ୍କ ସ୍ମୃତିରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ୱର୍ଗତ ସୁଦର୍ଶନ ନାୟକ ନିଜ ଯୁବାବସ୍ଥାରେ ବାଲେଶ୍ୱର ଜିଲ୍ଲାପାଳଙ୍କ ପେସ୍କାର ଭାବେ ନିୟୋଜିତ ଥିବା ବେଳେ ନିଜ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟକ୍ରମ ମାନ କରାଇ ବିଭିନ୍ନ ଅନୁଷ୍ଠାନ କରାଉଥିଲେ । ଗତ ୨୦୧୪ ମସିହାର ରାଅସ ପୂର୍ଣ୍ଣିମା ଦିନ ତାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିଲା । ଏଣୁ ପ୍ରତିବର୍ଷ ରାଅସ ପୂର୍ଣ୍ଣିମା ଦିନ ଅଞ୍ଚଳ ବାସୀ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ କରିଥାନ୍ତି । ଏହି ବର୍ଷ ମଧ୍ୟ ରକ୍ତ ଦାନ ଶିବିର , ବୃକ୍ଷ ରୋପଣ ସହ ସମାଜସେବୀ ମାନଙ୍କୁ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଦ୍ୱାରା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଚ୍ଛା ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ଉପ ସଭାନେତ୍ରୀ ସୋନାଲି ପ୍ରିୟଦର୍ଶିନୀ, ସ୍ୱାସ୍ଥ୍ୟ ସଂଯୋଜକ ଉଦୟ ଭାନୁ ନାୟକ, ଅବନୀ ଜେନା, ଶାଶ୍ୱତ ନାୟକ,ପଙ୍କଜ ପାତ୍ର, ନିରୋଜ ବେହେରା, ଶାନ୍ତନୁ ନାୟକ, ମନୋଜ ମହାନ୍ତି ପ୍ରଭୃତ୍ତି ଉପସ୍ଥିତ ଥିଲେ । ପରିବାର ପକ୍ଷରୁ ସ୍ୱର୍ଗତ ସୁଦର୍ଶନ ନାୟକଙ୍କ ଧର୍ମ ପତ୍ନୀ ଶାନ୍ତିଲତା ନାୟକ, ପୁତ୍ର ବିଜୟ ଭାନୁ ନାୟକ, ଭାନୁପ୍ରତାପ ନାୟକ, ଅଜୟ ଭାନୁ ନାୟକ, ଉଦୟ ଭାନୁ ନାୟକ, ସଞ୍ଜୟ ଭାନୁ ନାୟକ ଓ କନ୍ୟା ରେଣୁକା ଦାସ ପ୍ରଭୃତି ଉପସ୍ଥିତ ରହିଥିଲେ । ବ୍ଲଡ଼ ବ୍ୟାଙ୍କ ତରଫରୁ ଡାକ୍ତର ମହେଶ କୁମାର ବିଶ୍ୱାଳ, ଶ୍ୱେତା ରାଜ, ଜ୍ୟୋତିଷ ପ୍ରଧାନ, ବସନ୍ତ ଜେନା, କାର୍ତ୍ତିକ ଦାସ ଓ ଜଗନ୍ନାଥ ପଣ୍ଡା ପ୍ରଭୃତି ଉପସ୍ଥିତ ଥିଲେ ।

Leave a Reply